ଆଜି ତାହା ହାତରେ ସେହି ପୁଲକମୟ ଦିବସର ଛାୟା ଅସହ୍ୟ ସ୍ମତିର କଣ୍ଟକ, ଅତୀରର ଉପହାସ। ଆଜି ସେହି ଫୁଲଟିର ରେଶମୀ ଶୁଭ୍ରତା ଶୁଖି ହଳଦିଆ ପଡ଼ିଯାଇଛି,ସୁନ୍ଦର ଗୋଲ ପେନ୍ଥାଟି ଚେପ୍ଟା ହୋଇ ଯାଇଅଛି। ଆଉ ତାହା ଦେହରେ ସେହି ଦିନର ମନମତାଣିଆ ଗନ୍ଧ ନାହିଁ ମାଙ୍କଡ଼ଶାର ଜାଲ ପରି ଶିରା ଉପଶିରାରେ ସେହି ନୂତନ ପତ୍ରର ସବୁଜ କୋମଳତା ଲୁଚିଯାଇଛି, ଆଜି ଏହା ଶୁଷ୍କ, ଶୀର୍ଣ୍ଣ ଓ ବିବର୍ଣ୍ଣ।
“ଉପତ୍ୟାକାର ସେହିଦିନ ଏହି ଫୁଲ।”
“କଣ କହିଲା ମରିୟା”
ଶୂନ୍ୟ ଦୃଷ୍ଟିରେ ମରିୟା ଭରୋନତ୍ସଭ୍ ଆଡ଼େ ଚାହିଁଲା। ସେ ତାହାର ଅସ୍ତିତ୍ବ ଭୁଲି ଯାଇଥିଲା- ଭରୋନତ୍ସଭ୍ ଯେ ଉପର ଘରେ ବସି ରହିଛି ଏକଥା ବି ଭୁଲିଯାଇଛି। ଏକାନ୍ତ ସହାନୁଭୂତି ପୂର୍ଣ୍ଣ ଅପଲକ ଦୃଷ୍ଟିରେ ଭରୋନତ୍ସଭ୍ ମୁହଁ ଆଡ଼େ ଚାହିଁ ରହିଥାଏ।
“ନା, କିଛି ନୁହେଁ।”
ମରିୟା ଶୁଖିଲା ଫୁଲଟିକୁ ଉଠାଇ ନେଲା… ତୁଳା ପରି ହାଲ୍କା… ଦିନେ ତାହାର ଜୀବନରେ ଏହି ଫୁଲଟିର ମୂଲ୍ୟ ପୁଣିତ ଅପରିସୀମ ଥିଲା! ଦିନେ ଏହାର ଦେହରେ ଗନ୍ଧଥିଲା, ଥିଲା ସୌନ୍ଦର୍ଯ୍ୟ; ସୁନେଲି ପ୍ରକୃତିର ପରଶ ଥିଲା!....
“ମୋର ଗୋଟିଏ କଥା ଶୁଣିବ, ମରିୟା?”
ମରିୟା ଯତ୍ନ ସହକାରେ ଫୁଲଟି ବହିର ଭାଙ୍ଗ ଭିତରେ ରଖିଦେଲା।
“ଗୋଟିଏ କଥା ମୁଁ ତୁମକୁ କହିବାକୁ ଚାହେଁ, ହୁଏତ କହିବା ଦରକାର ନାହିଁ, ତଥାପି… ମୁଁ ଜାଣେ…ଅବଶ୍ୟ ତା କଥା ଭୁଲିଯିବାକୁ କହୁନାହିଁ। ତଥାପି ତାହାଛଡ଼ା ଆଉଜଣେ ଅଛି ଯେ ସେ ତୁମକୁ ପ୍ରାଣଦେଇ ଭଲପାଏ, ତୁମ ପାଇଁ… ତୁମ ସୁଖ ପାଇଁ ସେ ତ ସବୁ କରିବା ପାଇଁ ସଦାବେଳେ ତୟାର। ତେଣୁ…”
ଗୋଟିଏ ପ୍ରକାର ଘୃଣାର ହସ ମରିୟା ମୁହଁରେ ଫୁଟିଉଠିଛି।
“କିଛି ମନେ କରନା, ମରିୟା।”
କିଏ ଯେ କିଛି ତାହାକୁ ବର୍ତ୍ତମାନ ସାହାଯ୍ୟ କରିବ, ଯାହା ସେ ହରାଇ ବସିଛି ତାକୁ ଫେରାଇ ଆଣିଦେବ?
“କୌଣସି ଅଧିକାର ତୁମର ନାହିଁ, ମରିୟା… ତୁମେ ଏକା ନୁହଁ…ଭାବି ଦେଖ, କେବଳ ତୁମେହିଁ ନୁହଁ, କେତେ ଶହ ବାଳିକାର ଭାଗ୍ୟରେ ଆଜି ଏହାହିଁ ଘଟିଛି।” ମରିୟା ମୁଣ୍ଡ ହଲାଇଲା। ଭରୋନତ୍ସଭ୍ ତାହାର ମନ ବେଦନା କଣ ବା ବୁଝିବ? କେତେଦିନ, କେତେ ମୁଗ୍ଧ ରାତ୍ରିରେ ସେମାନଙ୍କର ଆନନ୍ଦଭରା କଣ୍ଠରେ ଉଚ୍ଚାରିତ ହୋଇଛି ସୁନେଲି ଗୋଟିଏ କଥା। ସେମାନେ ଏକ-ମନ, ପ୍ରାଣ ଦେହରେ ସେମାନେ ଏକ… ନା, ନା, ଯେଉଁ ଜିନିଷ ନାହିଁ। ଅନ୍ୟ ସ୍ତ୍ରୀ, ଅନ୍ୟ ସ୍ବାମୀ ଅଛନ୍ତି, କିନ୍ତୁ ସେମାନଙ୍କର ଭଲ ପାଇବା ହେଲା ସମ୍ପୁର୍ଣ୍ଣ ଅଲଗା; ସେ ସମ୍ପଦର ତୁଳନା ନାହିଁ…ତାହା ଅପୂରଣୀୟ।
“କଣ ଚାହଁ ତୁମେ ମୋଠାରୁ?କଣ କରୁଛି ମୁଁ?କିଛି ଖରାପ କରୁଛି କି ଯେପରି ଥିଲି ସେହିପରି ଅଛିତ। ତେବେ ସେ ସବୁର ଅର୍ଥ କଣ?”
“ଲୁଚାଇବାର ଚେଷ୍ଟା କରନା ମରିୟା,ତୁମର ଅନ୍ତର ମନ୍ଥିତ ହୋଇଯାଇଛି। ନିଜକୁ ଧ୍ବଂସ କରୁଛ ତୁମେ, ନିଜ ହାତରେ ନିଜର ସର୍ବନାଶ କରୁଛ ତୁମେ।”
“ବେଶ୍ ତ ତାହା ଯଦି କରେ,ତହିଁରେ ତୁମର କ’ଣ ଅଛି?”