ନଈପାରି ହୋଇ ବାବୁମାନେ ଜିପ୍ରେ ବସିଲେ । ମିର୍ଜା ଜିପ୍ରେ ଟୋକେଇଟା ଥୋଇଲା। ସରପଞ୍ଚ ମିର୍ଜା ହାତକୁ ପାଞ୍ଚଟଙ୍କା ବଢ଼ାଇଦେଲେ। ମିର୍ଜା ଦୃଢ଼ ପ୍ରତିବାଦ କଲା । ସେ ଗରିବ ଲେକିନ୍ ତାର ଦିଲ୍ ଛୋଟ ନୁହେଁ। ନବାବ ଠାଣିରେ ମିର୍ଜାର କଥାରେ ସରପଞ୍ଚବାବୁ ଆଉ ଭରସି ନ ପାରି , ମିର୍ଜାପୁଅ ପାକିଟିରେ ପାଞ୍ଚଟଙ୍କା ଗଳାଇ ଦେଲେ। ମିର୍ଜା ପ୍ରତିବାଦ କରୁଥିଲା; ସରପଞ୍ଚବାବୁ କହିଲେ ପିଲାର ଯାତ୍ର ଖର୍ଚ୍ଚ ଲାଗି ପିଲାକୁ ବକ୍ସିସ୍ ଦେଲେ, ସେ ନେଇ ମିର୍ଜା କହିବାର ହକ୍ ନାହିଁ । ମିର୍ଜା ଜବାବକୁ ଅପେକ୍ଷା ନ କରି ଜିପ୍ଗାଡ଼ିର ଚକା ଘୁରିବାକୁ ଲାଗିଲା। ମିର୍ଜା ସେମାନଙ୍କୁ ପଛରୁ ସଲାମ ଜଣାଇଲା। ସେମାନେ ସତେ କେଡ଼େ ମହତ୍।
x x x x x x x x x x x x x x x x x x x x x x x x x x
ଆଠ ମାସ ଗଡ଼ିଯାଇଛି। ଶୁଖିଲା ଡ଼ାଙ୍ଗ ଓପାଡ଼ି ମିର୍ଜା ତା’ ଜାଗାରେ ଜମିକୁ ସାନି ପାଗ କରିଛି ମକ୍କା ପାଇଁ ପ୍ଲାଷ୍ଟିକ୍ ବ୍ୟାଗରେ କିଲେ ଆମେରିକାନ୍ ମକ୍କା ମଞ୍ଜି ସହିତ ତା’ ମୁଣ୍ଡ ଉପରେ ଥିବା ଟୋକେଇରେ ଅଛି ଆଠ କିଲୋ ୟୁରିଆ ସୁପର ଫସ୍ଫେଟ ଓ ଶିଶିକ କୀଟାନାଶକ ଓଷଧ ଓ ଖଣ୍ଡେ କିତାବ। ବ୍ଲକ୍ ଅଫିସରେ ହାକିମ ଠାରୁ ଆରମ୍ଭ କରି ଚପରାସି ଯାଏଁ, ତାକୁ ଯେଉଁ ଖାତିରି କରୁଛନ୍ତି ମିର୍ଜା ସେହିସବୁ କଥା ଭାବୁଛି। ନୂଆ କିଛି ମଞ୍ଜି ଆସିଲେ ଆଗ ମିର୍ଜାକୁ ଦିଅ। ନୂଆ କିଛି ସାର ଆସିଲେ , ମିର୍ଜା ପାଇଁ ଅଲଗା ପୁଡ଼ିଆ ବନ୍ଧା ହୋଇ ଥୁଆ ହୋଇଥିବ। ମିର୍ଜା ଆସିଛି ବୋଲି ବି.ଡ଼ି.ଓ. ବାବୁ ତାକୁ ହସିକିରି ପଚାରନ୍ତି ମିର୍ଜା ଆସିଚ? ଏଥର କଣ ଲଗାଉଚ?
ଏଥର ବି.ଡ଼ି.ଓ. ବାବୁ କରି ତାକୁ ହସି ହସି କିତାବ ଖଣ୍ଡେ ଉପହାର ଦେଲେ। ମିର୍ଜା ପାଠପଢ଼ି ନାହିଁ ସତ; ହେଲେ କିତାବରେ ମିର୍ଜାର ବାଇଗଣ ବଗିଚାର ଛବି ବାହାରିଛି। ବାବୁମାନଙ୍କର ଫଟୋ ଅଛି। ମିର୍ଜାର ଛବି ବାହାରିଛି। ସେ ନେଉଛି ତା’ର ବିବିକୁ ଓ ପିଲାମାନଙ୍କୁ ଦେଖାଇବ।
ମିର୍ଜାକୁ ତା’ର କଳ୍ପଲୋକରୁ ଧକ୍କା ମାରି କିଏ ଗଡ଼େଇ ଦେଲା ଢ଼େଙ୍କୁଣା ଗାଁର ବାଲିକୁଦକୁ। ତାଳି ମାରି ମାରି ଥୁଣ୍ଟା ଗଛର ସଇତାନ ଡ଼ାଙ୍ଗଟା ଦୋହଲି ଯାଉଛି ନାଚି ନାଚି ଓ ତା’ ସହିତ ପର ଦି’ଟା ବି ଭୀଷଣ ଜୋରରେ ଦୋହଲୁଛି। ବଡ଼ଡାଙ୍ଗଟା ସତେ ଯେପରି ହସି ଗଡ଼ି ଯାଉଛି; ଆଉ ତା’ ମୁଣ୍ଡ ଉପରେ ଥିବା ଟୋକେଇ ଭିତରେ କିତାବର ପତ୍ରଗୁଡ଼ିକ ସଇତାନ ତା’ ଆଙ୍ଗୁଳିର ଲେଉଟାଇ ଚାଲିଛି।
କବିତାର ପହିଲି ନମ୍ବର ଛବି ଜ୍ଞାନବାବୁଙ୍କର, ଛବି ତଳେ ଲେଖାଅଛି ଜିଲ୍ଳାର ଆଦର୍ଶ କୃଷକ। ତା’ ପର ଛବିଟିରେ ଜ୍ଞାନ ବାବୁଙ୍କୁ ଜିଲ୍ଲାପାଳ ଦେଉଛନ୍ତି ସମ୍ମାନପତ୍ର ଓ ନଗଦ ପାଞ୍ଚଶହ ଟଙ୍କା ପୁରସ୍କାର। ତା’ ପର ଛବି ବାଇଗଣ ବିଲରେ ବି.ଡ଼ି.ଓ. ଓ ଅନ୍ୟନ୍ୟା ସହଯୋଗୀ ସରକାରୀ କର୍ମଚାରୀଙ୍କ ଗହଣରେ ଜ୍ଞାନବାବୁ। ତା’ ପର ଛବି ହେଉଛି ବାଇଗଣ ଗଦା, ଗୋଟିଏ ପାଖରେ ଛିଡ଼ା ହେଇଛି ମିର୍ଜା ଓ ତା’ର ଆର ପାଖରେ ତା’ର ପୁଅ । ଶେଷ ଛବିଟି ଜ୍ଞାନ ବାବୁଙ୍କ ବାଇଗଣ ବିଲରେ କର୍ମରତ ଦୋକଚ୍ଛା ପିନ୍ଧା ମୂଲିଆ ମିର୍ଜାର।