ପ୍ରେମର ନିକଷ




ବର୍ତ୍ତମାନ କେତେଟା ବାଜିଛି? ମରିୟା ଘଡ଼ିଟି ଆଡ଼େ ଚାହିଁଲା। ଆହତ ଲୋକଟି ଆହୁରି ଜୋର୍‌ରେ ଭଟ୍‌ ଭଟ୍‌ କରୁଛି, ଶୀଘ୍ର ଶୀଘ୍ର ଓଠ ଦୁଇଟି ଥର ଚାଲିଛି… ଶେଯଟାକୁ ସେ ବାରମ୍ବାର ମୁଠାଇ ଧରୁଛି।

ଆଉ ଖଣ୍ଡିଏ କାଗଜ ଦୁଃସମ୍ବାଦ ବହିନେଇଯିବ। ଲେଖିଥିବା , “ଗୁରୁତର ଆଘାତରେ ମୃତ୍ୟୁ ଘଟିଛି।” ଏହି ମୃତ୍ୟୁର ଶେଷ ଖବର କାହା ପାଖରେ ପହଞ୍ଚିବ? କାହାର ଚକ୍ଷୁର ଆଲୋକ ଲିଭିଯିବ? କାହାର ଜୀବନରେ ଏହି ଆଭିଶାପ ବହି ଆଣିବ ଏଇ ନୂତନ ପ୍ରଭାତ ? କାହାର ଜୀବନ ସବୁ ସୁଖ, ସବୁ ଶାନ୍ତି ଚିରଦିନ ପାଇଁ ନିର୍ବାପିତ ହୋଇଯିବ?

ମରିୟା ଉଠି ଆସି ଝରକା ପାଖରେ ଛିଡ଼ା ହେଲା। ତାହାପରେ କାଚର ଝରକାଟା ଖୋଲି ଦେଲା। ଚାରିକଣିଆ କାଚ ଉପରେ ମଇଳା ଜମି ଅସ୍ନଷ୍ଟ ହୋଇଯାଇଛି। ମରିୟା ବତୀଟି ଲିଭାଇ  ଦେଲା…ଶୀତଦିନେ ପ୍ରଭାତର ମଳିନ ଆଲୋକ ଘର ଭିତରେ ପଡ଼ିଛି। ଆହତ ଲୋକଟି ବିଛଣା ପାଖରେ ଟେବୁଲ ଉପରେ ଔଷଧ ଶିଶି, କାଚଗ୍ଲାସ… ତକିଆ ଉପରେ ଲୋକର ମୁଣ୍ଡ … ଫିକା ହଳଦିଆ ମୁଖମଣ୍ଡଳରେ ପଶି ଯାଇଥିବା ଦୁଇଟି ଆଖିର ଖୋଲା ଡ଼ୋଳା …… ପାଉଁଶିଆ ଓଠ। କପାଳ ଉପରେ ଜମା ହୋଇଥିବା ବାଳଗୁଡ଼ିକ ଉପରେ ମରିୟାର  ନଜର ପଡ଼ିଲା।

କ୍ରମେ ପ୍ରଭାତର ଆକାଶ ଫର୍ଚ୍ଚା ହୋଇଆସିଲା। ଚାରିଆଡ଼େ ଆଲୋକିତ ହୋଇ ଆସିଲା। ରାତ୍ରିର ଅନ୍ଧକାର ଅପସରି ଯିବା ସଙ୍ଗେ ସଙ୍ଗେ ଏହି ମରଣୋନ୍ମୁଖ ଲୋକଟିର ଜୀବନସ୍ରୋତକୁ ପୋଛିଦେଇ ଉଜ୍ଜଳ ହୋଇଉଠିଲା…   

ଅନ୍ଧିସନ୍ଧି ଚାରିଆଡ଼ରୁ ଅନ୍ଧାକାର ବିଛୁରୀତ ହୋଇ ସ୍ପଷ୍ଟ  ଦିବାଲୋକରେ ଆଲୋକିତ ହୋଇ ଆସୁଛି। ମରିୟା ଦେଖିଲା ଆହତ ଲୋକଟିର ଅଙ୍ଗୁଳିଗୁଡ଼ିକ ସ୍ଥିର ହୋଇ ଆସିଲାଣି, ଓଠ ଦୁଇଟି ଭଟ୍‌ ଭଟ୍‌ କରିବା ବନ୍ଦ କରି ନୀରବ ସ୍ତବ୍ଧ ହୋଇଆସିଛି। ନିସ୍ତବ୍ଧରେ  ଲୋକଟିର ପ୍ରାଣବାୟୁ ଉଡ଼ିଯାଇଛି। ଦୁଇଟି ଆଖିର ଅନାୟତ୍ତ ଦୃଷ୍ଟି ଛାତର କଡ଼ିକାଠ ଉପରେ ପଡ଼ିଛି, ଯେପରି ସେଠାରେ କୌଣସି ଅମୀମାଂସିତ ପ୍ରଶ୍ନର ଉତ୍ତର ଜଡ଼ି ରହିଛି। ଗୋଟିଏ ଗଭୀର ଦୀର୍ଘ ନିଶ୍ବାସ ପକାଇ ମରିୟା ଘଣ୍ଟା ବଜାଇଲା। ନିଜର ଆଖି ଡ଼ୋଳାରେ ଗୋଟି, ନର୍ସ ଦଉଡ଼ି ଅସିବାର ସେ ଅନୁଭବ କଲା।

“ ଲୋକଟି ମରିଯାଇଛି। ତେବେ ମୁଁ ବର୍ତ୍ତମାନ ଚାଲିଲି।” ସଂକ୍ଷେପରେ ଏହି ଦୁଇଟି କଥା କହି ଦେଇ ଅଳସ ପାଦରେ ଆସ୍ତେ ଆସ୍ତେ ସିଡ଼ି ଧରି ତଳକୁ ଓହ୍ଲାଇ ଆସିଲା। ତାହାର ହାତର ଆଙ୍ଗୁଳିଗୁଡ଼ିକ କମ୍ପୁଛି-କୌଣସିମତେ କୋଟ୍‌ର ବୋତାମ ଦେଇ ପାରୁ ନାହିଁ। କାଦୁଅ ବାଟରେ ଚାଲିବା ପାଇଁ ଓଭରସୁ’ କଥା ଏକବାରେ ସେ ଭୁଲିଯାଇଛି।

ଦୀର୍ଘ ପଦକ୍ଷେପରେ ଭରୋନତ୍ସଭ୍‌ ମରିୟା ପଛେ ପଛେ ଚାଲିଛି।ଏକା ସମୟରେ ତାହାର ଡ଼ିଉଟି ଶେଷ ହୋଇଛି।

ମରିୟା  ଯାଉଛି କି? ” ସେ ଚାଲିଯାଉଥିବାରୁ ଦେଖି ସୁଦ୍ଧା ବୋକାଙ୍କ ପରି ପ୍ରଶ୍ନ କଲା। ଉଦ୍ଦେଶ୍ୟହୀନ ଶୂନ୍ୟ ଆଖିରେ ମରିୟା ତା ଆଡ଼େ ଚାହିଁଲା।

“ହଁ, ଯାଉଛି।”

“ଘରେ ? ”

ମରିୟା ଆପତ୍ତିକଲା- “ ନା, ନା, ନା, ଘରେ ନୁହେଁ, ଆଉ ଯେଉଁଠାକୁ  ପଛେ- କିନ୍ତୁ ଘରେ…”

ଦୁଆର ପାଖରେ ଗୋଟିଏ ଖାଲି ଗାଡ଼ି ଛିଡ଼ା ହୋଇଥିଲା। ମରିୟା ଗାଡ଼ି ପଛପଟେ ବୁଲିପଡ଼ି ଚାଲିଯିବ ବୋଲି ଭାବିଲା କିନ୍ତୁ ଭରୋନତ୍ସଭ୍‌ ତାହାର ହାତ ଧରି ଅତି ଆଦରରେ ଗାଡ଼ି ଦୁଆର ପାଖକୁ ନେଇଗଲା। ମରିୟାର ଏତିକି ଖିଆଲ ଅଛି ଯେ ସେ ଗାଡ଼ି ଭିତରେ ଯାଇ ବସିଛି। ବାସ୍ତବରେ ଏସବୁ ତାକୁ ଭଲ ଲାଗୁ ନଥିଲା। ଯନ୍ତ୍ର ଚାଳିତ ପରି ଯେପରି ସେ ଏତକ କରିଛି। ଖଣ୍ଡେ ଗାଡ଼ି ଥିବା  ଏ ସମୟରେ ନିହାତି ଦରକାର, ନୋହିଲେ ଟ୍ରାମ୍‌ ପର୍ଯ୍ୟନ୍ତ ଚାଲିଯିବା ତା ପକ୍ଷରେ ମୋଟେ ସମ୍ଭବପର ନୁହେଁ। ମୁହୂର୍ତ୍ତକ ପାଇଁ ଗାଡ଼ି ଦେଖି ସେ ଅବାକ୍‌ ହୋଇଯାଇଥିଲା, ଗାଡ଼ି ପୁଣି କାହିଁକି? ଘରକୁ ଯିବା ସମୟରେ ସେ ପ୍ରାୟ ଟ୍ରାମ୍‌ ପର୍ଯ୍ୟନ୍ତ ଚାଲିକରି ଯାଏ।କିନ୍ତୁ ଆଜି ପାରୁନାହିଁ, କଅଣ ହୋଇଛି ଆଜି ତାହାର ଯେ, ସେ ଚାଲିଯାଇପାରୁ ନାହିଁ। ମରିୟା ମନେ ପକାଇବାକୁ ଚେଷ୍ଟା କଲା । “ଏଇଟା ଡ଼ିରେକ୍‌ଟରଙ୍କ ଗାଡ଼ି, ମୋ ସାଙ୍ଗରେ ଆସ, ଠିକ୍‌ କହିଛ, ବର୍ତ୍ତମାନ ତୁମେ ଘରକୁ ଯାଇପାରିବ ନାହିଁ।”

“ ନା ପାରିବି ନାହିଁ।” ମରିୟା ବାରମ୍ବାର କହିଉଠିଲା। କଅଣ କରି ପାରେନା ସେ ? ଓଃ, ହଁ, ଅସମ୍ଭବ କଅଣ ଯେପରି ଗୋଟିଏ ହୋଇଛି- ଏପରି ଗୋଟିଏ କିଛି ଯାହା ତାହା ପକ୍ଷରେ ଅସହ୍ୟ।

“ଗ୍ରିଶା ଆଉ ନାହିଁ” ମରିୟା ହଠାତ୍‌ କହି ଉଠିଲା। ଭରୋନତ୍ସଭ୍‌ ତାହାର ହାତ ଧରି ପକାଇଲା। “ ମୁଁ ଜାଣେ ମରିୟା…”




+ -

© Jataayu Charitable Trust
Site designed,developed & maintained by Tekons