ଗ୍ରେଗରୀ ଅନାଇଁ ରହିଥାଏ, ତୀକ୍ଷ୍ଣ ଦୃଷ୍ଟିରେ ଧୂସର କୁହୁଡ଼ି ଭେଦ କରିବାକୁ ଚେଷ୍ଟା କରି। କୁହୁଡ଼ିରେ ସବୁ ବୁଡ଼ି ଯାଇଛି, ସବୁ ଏକାକାର ହୋଇଯାଇଛି। ଗ୍ରେଗରୀ ଏହି ଅନ୍ଧାକରମୟ କୁହୁଡ଼ିର ଘନ ଶୀତଳ ଆବରଣ ଭିତରୁ ନିଜକୁ ମୁକ୍ତ କରିବାକୁ ଚାହେଁ।
ଘୋଡ଼ାଟା ଗୋଟିଏ ସ୍ଲେଜ୍ ଟାଣି ନେଇ ଆସୁଛି। ଗାଡ଼ି ଭିତରେ ଗୋଟିଏ ଲୋକ ଶୋଇ ରହିଛି। ମୁଁହଁଟି କମ୍ବଳରେ ଢ଼ଙ୍କା। ଏଥର ସମ୍ପୂର୍ଣ୍ଣ ସ୍ଲେଜ୍ଟା ତାର ଦୃଷ୍ଟିଗୋଚର ହେଲା। ଖାଲ ଗହୀର ଭିତରୁ ଉପରକୁ ଉଠି ଆସୁଛି ସେଇଟା। ତାପରେ ବରଫାଚ୍ଛାଦିତ ଢ଼ାଲୁପଥ ଛାଡି ଆଗେଇ ଚାଲିଛି।ଘୋଡ଼ାଟି ଅତି କଷ୍ଟରେ ପଡ଼ି ରହିଛି। ପାଖେ ପାଖେ ଚାଲି ଚାଲି ଜଣେ ସୈନିକ ଚାଲିଛି। ଘୋଡ଼ାଟିକୁ ଶିଘ୍ର ଚାଲିବାକୁ ତାଗିଦ୍ କରୁଛି ଥରକୁ ଥର। କେତେବେଳେ ଗାଡ଼ିର ଚକଟିକୁ କାନ୍ଧରେ ଠେଲି ଗୋଡ଼ଟିକୁ ଗାଡ଼ି ଟାଣିବାରେ ସାହାଯ୍ୟ କରୁଛି। ଏହିପରି ଅଧେ ବାଟ ଢ଼ାଲୁ କାଟି ସେମାନେ ଉଠି ଆସିଲେ। ଘୋଡ଼ାଟିର ଗତି ମନ୍ଥର ହୋଇ ଆସିଲା। ପାହୁଲ ପାହୁଲ କରି ଘୋଡ଼ା ଆଗେଇ ଚାଲିଛି। ହଠାତ୍ ଗାଡ଼ି ସହିତ ଘୋଡ଼ାଟି ଟିକିଏ ପଛକୁ ଖସିପଡ଼ିବାକୁ ଆରମ୍ଭ କଲା।ସୈନିକଟି ଚିତ୍କାର କରି ଘୋଡ଼ାଟିକୁ ଆଗକୁ ଚାଲିବାକୁ ଉତ୍ସାହିତ କରୁଛି। ସେ ମଧ୍ୟ ଗାଡ଼ିଟକୁ ପଛକୁ ପଡ଼ିଯିବାରୁ ବନ୍ଦ କରିବାର ଉଦ୍ଦେଶ୍ୟରେ ଠେଲି ଧରିଛି। ଖସଡ଼ା ରାସ୍ତାରେ ତାହାର ଗୋଡ଼ ବି ନ ଠାକିବାରୁ ଗାଡ଼ି ସହିତ ତଳକୁ ଖସିବା ଆଉ ବନ୍ଦ କରି ପାରୁ ନାହିଁ। ଧୀରେ ଧୀରେ ଗାଡ଼ିଟା ତଳକୁ ଖସୁ ଖସୁ ଖାଲ ଭିତରେ ଅଦୃଶ୍ୟ ହୋଇଗଲା।
ପୁଣି ଘନ ଅନ୍ଧକାର ମାଡ଼ି ଆସିଲା। କୁହୁଡ଼ି ସମୁଦ୍ରରେ ସବୁ ବୁଡ଼ି ଗଲା। ତାପରେ ପୁଣି ଘୋଡ଼ାଇ ମୁଣ୍ଡ ଦେଖାଗଲା।ତା’ପରେ ଲୋକ… ତା’ପରେ ସ୍ଲେଜ୍ ଗାଡ଼ିଟି। ସେହି ପାହାଡିଆ ବାଟରେ ସେ ଘଟଣା ପ୍ରତି ଏକାନ୍ତ ଆକୁଳ ଦୃଷ୍ଟି ଦେଇ ଗ୍ରେଗରୀ ଅନାଇଁ ଥାଏ;
ଯେପରି ତାହାର ଉପରେ ନିର୍ଭର କରୁଛି ତାହାର ଜୀବନ ମରଣ ସମସ୍ୟା। ‘ ହଟ୍ ହଟ୍ ଜଲ୍ଦି ଚାଲ୍’ ସୈନକଟି ପାଟି କରି ଉଠିଲା। ଖୁବ୍ ହୁସିଆରିରେ ଘୋଡ଼ାଟି ଚିପି ଚିପି ଗୋଡ଼ ପକାଇଲା। ସେମାନେ ଆସି ଠିକ୍ ଆଗ ଜାଗାରେ ପହଞ୍ଚିଲେ। ପୁଣି ଘୋଡ଼ାଟାର ଗୋଡ଼ ଖସିଲା, ଗାଡ଼ି ସହିତ ପଛକୁ ଗଡ଼ି ପଡ଼ିଲା, ପୁଣି ଅଦୃଶ୍ୟ ହୋଇଗଲା। ପୁଣି ଘୋଡ଼ାଟା ଦେଖାଗଲା, ଲୋକଟା ଦେଖାଗଲା, ଗାଡ଼ି ଭିତର କମ୍ବଳରେ ଢ଼ଙ୍କା ହୋଇଥିବା ଲୋକଟି ବି “ ସେମାନେ ଗୋଟିଏ ଆହତ ଲୋକକୁ ବୋହିନେଇ ଯାଉଛନ୍ତି”- ଗ୍ରେଗରୀ ବୁଝିପାରିଲା। ଲୋକଟି ନିଶ୍ଚେ ସାଙ୍ଘାତିକ ଭାବେ ଆହତ ହୋଇଛି, ଟିକିଏ ହଲୁ ନାହି, କିମ୍ବା କାତର ଚିତ୍କାର ମଧ୍ୟ ଶୁଣାଯାଉନାହିଁ।
“ ମୁଁ ମଧ୍ୟ ଆହାତ।” ଗ୍ରେଗରୀ ଭାବିଲା ସତେ କଣ ସେ ଆହତ? ଠିକ୍ କରି ଜାଣେନାହିଁ ସେ ବିଷୟ। କିନ୍ତୁ କଥା ହେଉଛି ସେ ଟିକିଏ ହଲଚଲ ହୋଇପାରୁନାହିଁ; ଗୋଟିଏ ବଡ଼ ଲୁହା ଗାଙ୍ଗୁଲା ଭିତରେ କିଳା ଯେପରି ତାକୁ ଚାପି ଧରିଛି। ତାହାର ଗଳାରୁ ଟିକିଏ ବି ଶବ୍ଦ ବାହାରି ପାରୁନାହିଁ।
ପାହାଡ଼ିଆ ବାଟରେ ଯାଉଥିବା ଏହି ଗାଡ଼ିଟାକୁ ଗ୍ରେଗରୀ ମୁହଁ ଫେରାଇ ପାରୁ ନାହିଁ; କିନ୍ତୁ ତାହା ଆସ୍ତେ ଆସ୍ତେ ଅସ୍ପଷ୍ଟ ହୋଇଆସୁଛି। ଘୋଡ଼ାଟା ଆଉ ଘୋଡ଼ାପରି ଦେଖା ଯାଉନାହିଁ। ମନୁଷ୍ୟଟି ମଧ୍ୟ ମନୁଷ୍ୟ ବୋଲି ମନେ ହେଉ ନାହିଁ। ଯେପରି ଗୋଟିଏ ବିରାଟ ପ୍ରହେଳିକା, ଗୋଟିଏ ଛାଇ ବରଫାବୃତ୍ତ ଢ଼ାଲୁ ବାଟରୁ କ୍ରମେ ଦୂରକୁ ଦୂରକୁ ଚାଲିଯାଉଛି। ଏଇଟା କଣ ଗୋଟିଏ ଦୁଃସ୍ବପ୍ନ! ଆକ୍ରମଣ କରିବାର ଆଗ ରାତ୍ରିରେ ସେ କଣ ଖାତ ଭିତରେ ଗୋଟିଏ କୋଠରୀରେ ଶୋଇ ସ୍ବପ୍ନ ଦେଖୁଛି? ଗ୍ରେଗରୀ ଭାବିଲା,ହୁଏତ ସେ କି ଭଳିଆ ବେକାଇଦାରେ ଶୋଇଛି। ସାଧାରଣତଃ ଯେପରି ହୋଇଥାଏ, ଗୋଟିଏ ଭୟଙ୍କର ଦୁଃସ୍ବପ୍ନ ତାହାର ଗଳା ଚିପି ଧରିଛି, ନିଃଶ୍ବାସ ଟିକେ ନବା ପାଇଁ ତାର ଆଉ ଶକ୍ତି ନାହିଁ। ଢ଼ାଲୁ ପାହାଡ଼ିଆ ବାଟ କେହି କେଉଁଠି ନାହନ୍ତି। ସେ ବାଟଟାତ ସେମାନେ ଦେଖି ନେଇଛନ୍ତି ଯେ ଏଠାରେ ଘାଟି ନାହିଁ। ଉପର ମହାଲାରୁ ଯେପରି କଣ ଗୋଟାଏ ତାର ଛାତି ଉପରେ ଚାପି ହୋଇ ପଡ଼ିଛି।ଏହିକ୍ଷଣି ତାର ନିଦ ଭାଙ୍ଗିଯିବ; ଏହି ଦୁଃସ୍ବପ୍ନରୁ ସେ ଜାଗି ଉଠିବ ହଁ, ସ୍ବପ୍ନରେ ଏହିପରି ହୋଇଥାଏ; ସମସ୍ତ ଶକ୍ତି ପ୍ରୟୋଗ କରି ତୁମେ ଚିତ୍କାର କରିବାକୁ ଚାହଁ-ତଣ୍ଟି ଭିତରେ ଶବ୍ଦ ବାହାରୁ ନାହିଁ, ବେକଳ ଗୋଟିଏ କ୍ଷୀଣ ଚେଁ ଚେଁ ଶବ୍ଦ ହୁଏ ଓ ଅସ୍ପଷ୍ଟ ଗଁ, ଗଁ ଶୁଣାଯାଏ। ନିଶ୍ଚୟ ଏଇଟା ସ୍ବପ୍ନ; ସ୍ବପ୍ନ ଛଡ଼ା ଆଉ କିଛି ନୁହେଁ।
ପୁଣି କୁହୁଡ଼ି ମାଡ଼ି ଆସିଲା… ବିରାଟ…ଅସୀମ…ସବୁ ବୁଡ଼ିଗଲା…… ସାରା ସଂସାର। ପୁଣି ଦୋହଲି ଉଠେ ସେହି ଧୂସର ପର୍ଦ୍ଦା। ବ୍ୟଥା ଅନୁଭୂତ ହୁଏ-ତୀବ୍ର, ଅସହନୀୟ।
ହଠାତ୍ କୁହୁଡ଼ି ଉଭେଇ ଗଲା,- ଯେପରି କେହି ଏହି ଅନ୍ଧ କୁହୁଡ଼ିର କଳା ପର୍ଦ୍ଦା ଦୁଇ ହାତରେ ଆଡ଼େଇ ଦେଲା। ତୀବ୍ର ବେଦନା ତାର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ଅନୂଭୁତ ହେଲା। ଗୋଟିଏ ଅସ୍ପଷ୍ଟ କାତର ସ୍ବର ତାର ଗଳାରୁ ବାହାରି ପଡ଼ିଲା। ଗ୍ରେଗରୀ ପାଖରେ ସମସ୍ତ ସ୍ପଷ୍ଟ ଜଣାଯାଉଛି।… ନା, ସକାଳେ ତ ଆକ୍ରମଣ ଆରମ୍ଭ ହୋଇଥିଲା। ପାହାଡ଼ିଆ ଗାଁ ଉପରେ ଜର୍ମାନମାନେ ଗୋଳା ବର୍ଷଣ କରିଥିଲେ। ହଠାତ୍ ଗୋଟିଏ ପ୍ରଚଣ୍ଡ ବିସ୍ପୋରଣ… ତା’ପରେ ଆଉ କିଛି ମନେପଡ଼ୁନାହିଁ। ତା’ ପରେ ଶତ୍ରୁର ପଛରେ ଗୋଡ଼ାଇ ଥିଲା କି ନାହିଁ? ତାହାହେଲେ ଏହି ବିସ୍ଫୋରଣ ସେଇଆଡ଼େ ତ ହୋଇଛି ଆଉ ଅଚେତ ହୋଇ ମଲା ମଣିଷ ଗଦା ଭିତରେ ପଡିଛି। ତା’ପରେ ତାକୁ ମୃତ ବୋଲି ମନେ କରି କିଏ ଏଠାକୁ ବୋହି ଆଣିଛି।
ଏଠାରେ ଏହି ପାହଡ଼ର ଢ଼ାଲୁ ବାଟଦେଇ ସେମାନେ ଆହତ ଲୋକମାନଙ୍କୁ ବୋହି ନେଇଯାଇଛନ୍ତି। ଯଦି ସେ ଥରେ ଚିତ୍କାର କରିପାରନ୍ତା ତାହାହେଲେ କୌଣସି ସୈନିକ ତାକୁ ସାହାଯ୍ୟ କରିବାକୁ ଦୌଡ଼ି ଆସନ୍ତା। କିନ୍ତୁ ସେ ତ ଚିତ୍କାର କରି ଡ଼ାକି ପାରୁନାହିଁ।
ତାକୁ ଅପେକ୍ଷା କରି ରହିବାକୁ ପଡ଼ିବ। କେଉଁଥିପାଇଁ? ଯଦି ତାହା ହୁଏ, କେହି ଯଦି ପାଖ ଦେଇ ଯାଏ କିମ୍ବା ମୃତ ଦେହଗୁଡିକ କବର ଦେବାକୁ ଆସେ ତେବେ ସେ ତାକୁ ଦେଖି ପାରିବ। ତେଣୁ ଆଉ ଯେପରି ସେ ଜ୍ଞାନଶୂନ୍ୟ ନ ହୁଏ- ଆଉ ଯେପରି ତାକୁ ମୃତ ବୋଲି ତାକୁ କେହି ମନେ ନ କରନ୍ତି। କିନ୍ତୁ କଥା ହେଉଛି କେବେ ସେମାନେ ଆସିବେ। ଆଜି ଆସି ପାରନ୍ତି, କାଲି ଆସିପାରନ୍ତି, ପରଦିନ।
ଭୟଙ୍କର ଶୀତରେ ହାଡ଼ ଭିତର ମଧ୍ୟ ଥରି ଉଠୁଛି। ଗ୍ରେଗରୀର ପେଟ ମୋଡ଼ି ହୋଇ ବାନ୍ତି ଆସୁଛି।…… ଯଦି ସେ ବୁଝି ପାରନ୍ତା ଆଘାନଟା କେଉଁଠାରେ ! କିନ୍ତୁ ତାହା ସେ ନିର୍ଣ୍ଣୟ କରିପାରୁ ନାହିଁ। “ ଆଚ୍ଛା, ଦେଖାଯାଉ କାହାର ଶକ୍ତି ବେଶି”-ଗ୍ରେଗରୀ ଭାବେ- “ ଆଘାତର ନା ତାହାର ମନର? ଶୀତର ତୀବ୍ରତାର ଦାଉ ସେହି ସମୟର?”
ବ୍ୟାକୁଳ ଭାବରେ ଅପେକ୍ଷା କରି କରି ସମୟ ବହିଗଲା ଅବଶ୍ୟ ସମୟକୁ ଯେତେ ବେଶି ବୋଲି ମନେ କରୁଛି ସେତେ ନୁହେଁ। ଗୋଟିଏ ସୈନିକର ପ୍ରାଣ ବଞ୍ଚାଇବ। ଏହି ପାହାଡ଼ି ଢ଼ାଲୁ ଖସଡ଼ା ବାଟ ସହିତ ସୈନିକଟିର ଯୁଦ୍ଧ ଚାଲିଛି। ପୁଣି କୁହୁଡ଼ି ମାଡ଼ିଅସିଲା ,ଅନ୍ଧ ଧୂସର କୁହୁଡ଼ି ତାହାର ସମସ୍ତ ଚେତନାକୁ ବୁଡ଼ାଇଦେଲା।