ଜଟାୟୁ

ଶିହରୁଛି ପଞ୍ଚବଟୀ
କାହାର ଏ ବିକଳ କ୍ରନ୍ଦନେ?
ବିଶ୍ବପିତା ଥରେ ଯଥା
ଆଶ୍ରିତର ଆର୍ତ୍ତ ନିବେଦନେ।

କାହା ନେତ୍ରୁ ଝରିପଡେ
ବିନ୍ଦୁ ବିନ୍ଦୁ ଉଷ୍ଣ ଏ ଲୋତକ?
ପତ୍ରେ ପତ୍ରେ ରଖିଯାଏ
ବେଦନାର ନିଶ୍ଚିତ ସନ୍ତକ।

କରେ କେ ଘର୍ଘର ନାଦ ଉର୍ଦ୍ଧ୍ବନଭେ?
ଅଶଲୀଳ ଶବଦ!
ପ୍ରକମ୍ପିତ କରେ ଦର୍ପେ?
ବନସ୍ଥଳୀ ହେଉଛି ବିକ୍ଷୁବ୍ଧ

ଛୁଟିଆସେ ଉତ୍ତରରୁ
ପଳାତକ ପୁଷ୍ପକ ବିମାନ
ଶୋକାକୁଳା ସତୀ ସୀତା,
ପାଶେ ତାଙ୍କ ବସିଛି ରାବଣ।

ଯତିବେଶେ ଲଙ୍କାପତି
ନେଉଛି ତ ସତୀଙ୍କୁ ଚୋରାଇ,
ଅସହାୟେ ସତୀ ଡାକେ ‘ପତି’ ‘ପତି’
ପତି ପାଶେ ନାହିଁ।

ଜଡ ହେଲା ପଞ୍ଚବଟୀ?
ବ୍ୟର୍ଥ ଯିବ ଏତେ ଅଶ୍ରୁପାତ?
ନଗ୍ନ ବ୍ୟଭିଚାର ଏଥି
କରିବେନି କେହି ପ୍ରତିବାଦ?

ଆପାଣାର ହୀନ ବଳେ
ମନେ ବୃଥା ଜାଗିଛି ସଂଶୟ;
ବପୁର ଶକ୍ତି ମୋ କ୍ଷୀଣ,
କିନ୍ତୁ ମୋ ଆତ୍ମା ଯେ ଅଜେୟ।

ମୁଁ ଛାର ଜଟାୟୁ ପକ୍ଷୀ
ପ୍ରତିପକ୍ଷ ପ୍ରବଳ ପ୍ରତାପୀ
ନୁହେଁ ତାର ସମକକ୍ଷ
ପ୍ରତିବାଦ କରିବି ତଥାପି।

ପାରେ ବା ନ ପାରେ ମୁହିଁ,
ଅନୀତିର ରୋଧିବି ଗତିକୁ,
ସତ୍ୟ ଲାଗି ଯୁଝିବି ମୁଁ,
ଆଶ୍ବାସନା ହେବ ସେ ସତୀକୁ।

ଛୁଟିଲି ଆକାଶେ ମାର୍ଗେ-
ଦୁରାଚାରୀ! ରଥ ନୁଆଁ ତଳେ
ନୋହିଲେ ରୁଧିରସିକ୍ତ
କରିବ ହିଁ ତୀକ୍ଷ୍ଣ ମୋ ନଖରେ।

ଅବଜ୍ଞା କରିଲୁ ମୋତେ!
ରାବଣରେ ପ୍ରଥମ ଆଘାତ
କରେ ଆଜି ଶକ୍ତିହୀନ ପକ୍ଷୀ ଏକ
ଅଜ୍ଞାତ ଅଖ୍ୟାତ;
କରେ ରକ୍ତସ୍ନାତ।

ମୋ ଲାଗି ଧରିଛି ଖଡ୍ଗ ଲଙ୍କପତି;
-ଏ ପକ୍ଷ ଛେଦେ;
ବିଛୁରିତ ହୁଏ ସତ୍ୟ-ରକ୍ତବୀଜ
ଆକାଶର ଖେତେ।

ଆନ ପକ୍ଷେ ପ୍ରତିରୋଧ କରିବି ମୁଁ
ଛାଡିବିନି ବାଟ,
ମୋର ପଦାଘାତ
ଶିରେ ତା’ର ବହିବ ହିଁ ଲଙ୍କାର ସମ୍ରାଟ।

ବେନିପକ୍ଷେ ଛିଡିଗଲା;
ଛିଡିଯାଉ, ନାହିଁ ମୋ ଶୋଚନା;
ମୁଁ ରହିବି ଯୁଗେ ଯୁଗେ ଯୁଯୁତ୍ସୁର
ଜ୍ବଳନ୍ତ ପ୍ରେରଣା।

ଲେଖିବ ବାଲ୍ମୀକି;
ସତୀ ଲାଗି ପକ୍ଷୀ ଏକ
ରାମ ଆଗୁଁ ଯୁଝିଥିଲା ବିଂଶବାହୂ ପ୍ରତିପକ୍ଷେ
ଯୁଝିଛି ଏକାକୀ।
ଏକକ ସେ ସେନା
ପକ୍ଷେ ସତ୍ୟ, ପକ୍ଷେ ନ୍ୟାୟ
ଅବିନୀତ ଜଟାୟୁର ଡେଣା।

"କବି ରଘୁନାଥ ଦାସ"



+ -

© Jataayu Charitable Trust
Site designed,developed & maintained by Tekons